ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ ବ୍ରତ

ଭୁବନେଶ୍ୱର,୩୧/୧୦: ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟା ରୁ ଦ୍ୱାରଫିଟା ସହ ସଅଳ ନୀତି ଉପରେ ଗୁରୁତ୍ବ ଦିଆଯାଇଛି । ପଞ୍ଚୁକରେ ଭିଡ ପାଇଁ ଭିତର କାଠଦର୍ଶନ ବାରଣ ରହିଥିବା ବେଳେ ଏହି ସମୟରେ କେବଳ ବାହାର କାଠ ଦର୍ଶନ କରିପାରିବେ ଭକ୍ତ । ତେବେ ପଞ୍ଚକରେ ଭିଡକୁ ଦୃଷ୍ଟିରେ ରଖି ହୋଇଛି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମାର୍କେଟ ଛକ ଠାରୁ ମରଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର , ଶ୍ରନଅର ଠାରୁ ସିଂହଦ୍ୱାର ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା ।ସୁରକ୍ଷା ଦୃଷ୍ଟିକୋଣରୁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ସହ ଭିତର ଓ ବାହାର ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ପଞ୍ଚୁକ ସମୟରେ ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ । ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ଟେଣ୍ଟ ବ୍ୟବସ୍ଥା କରାଯାଉଛି । ତିଥି କ୍ଷୟ ଯୋଗୁଁ ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ବିଶିଷ୍ଟ ହେବ ପଞ୍ଚୁକ । ତେଣୁ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ହେବନାହିଁ । ପଞ୍ଚୁକର ପ୍ରତ୍ୟେକ ଦିନ ମହାପ୍ରଭୁ ଆଡାକାନୀ, ଶ୍ରୀପୟର ଓ କୁଣ୍ଡଳୀ ଇତ୍ୟାଦି ପିନ୍ଧି ଦର୍ଶନ ଦେବେ। କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ।