Trump Cuts China Tariffs: ଚୀନ ଉପରେ ୧୦ ପ୍ରତିଶତ ଟାରିଫ ହ୍ରାସ କଲା ଆମେରିକା

ନୂଆଦିଲ୍ଲୀ,୩୦/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍‌ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରେ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଛନ୍ତି ଯେ, ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ। ତେବେ ଆମେରିକା ଚୀନ ଉପରେ ଶୁଳ୍କ 10 ପ୍ରତିଶତ ହ୍ରାସ କରିଥିବା ଜଣାଯାଇଛି। ୫୭%ରୁ ୪୭%କୁ ହ୍ରାସ ପାଇଛି ଶୁଳ୍କ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆପଣ ଜାଣନ୍ତି, ମୁଁ ଫେଣ୍ଟାନିଲ୍ ଯୋଗୁଁ ଚୀନ ଉପରେ ୨୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲି। କିନ୍ତୁ ସେମାନଙ୍କ ମୋ କଥା ଶୁଣିବା ପରେ, ମୁଁ ଏହାକୁ ୧୦ ପ୍ରତିଶତ ହ୍ରାସ କରିଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।