ପୁଣି ରକ୍ତରେ ଭିଜିଲା ଗାଜା, ଆଇଡିଏଫ ଆକ୍ରମଣରେ ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୯/୧୦: କିଛି ଦିନରେ ନିରବତା ପରେ ପୁଣି ଗାଜା ରକ୍ତରେ ଭିଜିଛି । ଆଇଡିଏଫ ଆକ୍ରମଣରେ ୧୦୦ରୁ ଅଧିକ ଜୀବନ ଯାଇଛି ।ଗାଜା ପାଇଁ କୌଣସି ଅସ୍ତ୍ର ବିରତି ନାହିଁ । ସାରା ବିଶ୍ୱ ଆଗରେ ଅସ୍ତ୍ରବିରତି ଚାଲିଥିବା କୁହାଯାଉଥିଲେ ମଧ୍ୟ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଓ ପାଲେଷ୍ଟାଇନୀୟଙ୍କ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଯୁଦ୍ଧ ସରିଯାଇଥିଲେ ବି ଶାନ୍ତିର ଆଶା ଦେଖାଯାଉ ନାହିଁ । ପ୍ରତ୍ୟେକ ଦିନ ବୋମା ବର୍ଷଣ ଓ ଗୁଳିମାଡ଼ରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି । ଅକ୍ଟୋବର ୧୦ ତାରିଖରେ ଯୁଦ୍ଧବିରତି ଚୁକ୍ତି ହେବା ପରଠାରୁ, ଇସ୍ରାଏଲ ଆକ୍ରମଣରେ ଅତି କମରେ ୨୧୧ ପାଲେଷ୍ଟିନଙ୍କ ମୃତ୍ୟୁ ଘଟିଛି ଏବଂ ୫୯୭ ଜଣ ଆହତ ହୋଇଛନ୍ତି ବୋଲି ଗାଜା ପ୍ରଶାସନ କହିଛି । ଅସ୍ତ୍ରବିରତି କେବଳ ଏକ ଔପଚାରିକତା ପାଲଟିଛି, କାରଣ ଇସ୍ରାଏଲ୍ ସେନାର କାର୍ଯ୍ୟାନୁଷ୍ଠାନ ଫଳରେ ଗାଜାରେ ଦୈନନ୍ଦିନ ରକ୍ତପାତ ଜାରି ରହିଛି ।