ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର,୨୮/୧୦: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ସବୁ ଜିଲ୍ଲାରେ ବର୍ଷା ହୋଇଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।