ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା,ସବୁ ପ୍ରକାର ବ୍ୟବସ୍ଥା ହୋଇଛି

ଭୁବନେଶ୍ୱର,୨୮/୧୦: ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି । ୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନିଆଯାଇଛି । ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି । ଦକ୍ଷଣି ଓଡ଼ିଶା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ପ୍ରଭାବ, ରେଡ୍ ଜୋନରେ ଅଛି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା । ସେହି ୮ ଜିଲ୍ଲା ହେଉଛି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ। ଏସବୁ ଜିଲ୍ଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି। ଉଚ୍ଚସ୍ତରୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୮ ଜିଲ୍ଲାକୁ ଗଲେଣି ୧୨୮ ରେସକ୍ୟୁ ଟିମ୍। ଏଥିରେ ରହିଛି ୨୪ଟି ଓଡ୍ରାଫ, ୫ଟି NDRF ଓ ୯୯ଟି ଅଗ୍ନିଶମ ବାହିନୀ ଟିମ୍। ସବୁ ଜିଲ୍ଲାକୁ ୩ଟି ଲେଖାଏଁ ଓଡ୍ରାଫ ଟିମ୍ ପଠାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ପଠାଯାଇଛି ୫ଟି NDRF ଟିମ୍। ସେହିପରି ମାଲକାନଗିରିରେ ଅଗ୍ନିଶମ ବାହିନୀର ୮ଟି ଟିମ୍ ଥିବା ବେଳେ କୋରାପୁଟରେ ୧୪, ନବରଙ୍ଗପୁରରେ ୧୦, ରାୟଗଡ଼ାରେ ୧୧, ଗଜପତିରେ ୭, ଗଞ୍ଜାମରେ ୨୪, କନ୍ଧମାଳରେ ୧୨ ଓ କଳାହାଣ୍ଡି ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ରହିଛନ୍ତି। ଏଥିସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାରେ।