ଭୁବନେଶ୍ବର,୨୩/୧୦: ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭବିଷ୍ୟତ ବିକଶିତ ଯୋଜନା ନେଇ କହିଛନ୍ତି।ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍ରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି। ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।ଆଲୋଚନାରୁ ଜଣାଯାଇଛି ଯେ, ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ଝାରସୁଗୁଡ଼ାରେ ଥିବା ଏହାର ଆଲୁମିନିଅମ୍ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ।
