ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୨୨/୧୦: ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ଲଘୁଚାପ । ବଢିଲା ବାତ୍ୟା ଆଶଙ୍କା, ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇ ଆଗକୁ ବଢ଼ୁଥିବାବେଳେ ପଛକୁ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୪ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପଟି ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଓଡ଼ିଶାରେ ବଡ଼ ବର୍ଷା ହେବାର ଆଶଙ୍କା କରାଯାଉଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅବପାତରେ ପରିଣତ ହେବ । ଏହା ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ । ପରବର୍ତ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ଆସୁଥିବାରୁ ସତର୍କ କରିଛନ୍ତି ସରକାର । ଯେ କୌଣସି ପରିସ୍ଥିତିର ମୁକାବିଲ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।