ଭୁବନେଶ୍ବର,୧୪/୧୦: ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ବାଣର ଶବ୍ଦ 125 UB(AI) ରୁ ଅଧିକ ହୋଇପାରିବ ନାହିଁ । ଗ୍ରୀନ ବାଣ ଫୁଟାଇବା ପାଇଁ ବାରଣ ନାହିଁ। ବଗିଚା ,ପାର୍କ, କୋର୍ଟ, ହସ୍ପିଟାଲ , ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ବାହାରେ ବାଣ ଫୁଟାଇ ବା ନିୟମ କରାଯାଇଛି ।୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଅଧିକ ଧ୍ୱନି ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ ବର୍ଜିତ । ଝୁପୁଡ଼ି, ଦୋକାନ, ଅଷ୍ଟି-ପ୍ରବଣ ସ୍ଥାନ, ଘର ଏବଂ ଅଧିକ ଯାତାୟାତ କରୁଥିବା ରାସ୍ତାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ପଶୁପକ୍ଷୀଙ୍କୁ ବାଣର ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ, କାରଣ ସେମାନେ ଏହା ପ୍ରତି ସ୍ପର୍ଶକାତର ବୋଲି କୁହାଯାଇଛି । ବୃଦ୍ଧ ଓ ଶ୍ଵାସ ରୋଗୀମାନେ ବାଣର ଧୁଆଁରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି। ବାଣ ଫୁଟାଇବା ସମୟରେ ଆଖି ସୁରକ୍ଷା ପାଇଁ ଚଷମା ପିନ୍ଧିବା ଉଚିତ୍ ବୋଲି କହିଛନ୍ତି। ବାଣ ବିକ୍ରି ବେଳେ ଅନେକ ସ୍କ୍ୱାର୍ଡ ନଜର ରଖିବେ। ଏବେ ଭୁବନେଶ୍ୱର ର ପ୍ରଦୂଷଣ ମାତ୍ରା ଠିକ୍ ଅଛି ବୋଲି ସୂଚନା ଦେଇଛନ୍ତି।ଏହି ନିୟମକୁ ସମସ୍ତେ ମାନିବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।
