ବିହାର ବିଜେପିକୁ ବଡ଼ ଝଟକା, ଦଳ ଛାଡିଲେ ମିଶ୍ରୀଲାଲ ଯାଦବ

ନୂଆଦିଲ୍ଲୀ,୧୧/୧୦: ବିହାର ବିଜେପିକୁ ବଡ଼ ଝଟକା ଲାଗିଛି । ଦରଭଙ୍ଗା ଜିଲ୍ଲା ଅଲ୍ଲୀନଗର ବିଧାନସଭା ଆସନରୁ ବିଧାୟକ ଥିବା ମିଶ୍ରୀଲାଲ ଯାଦବ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷଙ୍କୁ ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି କି, ବିଜେପି ଏବେ ପଛୁଆବର୍ଗଙ୍କ ସ୍ୱାର୍ଥକୁ ସମର୍ଥନ ଦେଉନାହିଁ । ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ଭିତରେ ଗର୍ବ ଓ ଅହଂକାର ବଢ଼ିଛି । ଜନତା ଚଳିତ ନିର୍ବାଚନରେ ବିଜେପିକୁ ଉଚିତ ଶିକ୍ଷା ଦେବେ । ମିଶ୍ରୀଲାଲ କହିଛନ୍ତି କି, ଅଲ୍ଲୀନଗରରେ ଗତ ୩୦ ବର୍ଷ ଧରି ବିଜେପି କେବେ ବି ଜିତିପାରିନଥିଲା । ମୁଁ ଅଲ୍ଲୀନଗରରେ ବିଜେପିର ବିଜୟ ପତାକା ଉଡ଼ାଇଥିଲି । ଏହାପରେ ବି ପାର୍ଟି ମୋତେ ଗୁରୁତ୍ୱ ଦେଲାନାହିଁ । ସାମ୍ବାଦିକ ସମ୍ମିଳନୀରେ ମିଶ୍ରୀଲାଲ କହିଛନ୍ତି ମୁଁ ନିର୍ବାଚନ ଲଢ଼ିବି । ଯେଉଁ ଦଳ ମୋତେ ଟିକେଟ୍ ଦେବ ମୁଁ ସେ ଦଳରେ ଯୋଗଦେଇ ବିଜେପିକୁ ହରାଇବାକୁ ଚେଷ୍ଟା କରିବି । ମୁଁ ଧର୍ମନିରପେକ୍ଷ ଚିନ୍ତାଧାରାର ନେତା, ତେଣୁ ମୋ ନୀତି ଆଦର୍ଶ ଯେଉଁ ଦଳ ସହ ମିଶିବ ମୁଁ ସେହି ଦଳକୁ ଯିବି ।