ଭୁବନେଶ୍ୱର,୨୫/୦୯: ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା । ଆଜି ଏପରି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍ ଅଳିଆ ବାହାରୁଛି । ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି । ଯାହାକୁ ବିଭିନ୍ନ ପଦ୍ଧତିରେ ଡି-ସେଣ୍ଟ୍ରାଲାଇଜଡ୍ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମାଆମାନଙ୍କୁ ଟ୍ରେନିଂ ଦିଆଯାଇଛି । ମାତ୍ର ଅନେକ ସମୟରେ ଭୁବନେଶ୍ୱରରେ ଏହାକୁ ନେଇ ବିରୋଧଭାସ ମଧ୍ୟ ଦେଖିବାକୁ ମିଳୁଛି । ତେବେ ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱେଷ୍ଟ୍ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ଏବଂ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରାଯାଉଛି । ବାୟୋଗ୍ୟାସ କମ୍ପୋଷ୍ଟିଂ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡର କରିସାରିଥିବାବେଳେ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ଆର୍ଥିକ ଦିଗରୁ କିଛି ସମସ୍ୟା ଅଛି । ତାର ସମାଧାନ ହୋଇ ସରିଲେ ଆମେ କାମ ଆଗକୁ ବଢ଼େଇବୁ ବୋଲି କହିଛନ୍ତି ବିଏମସି କମିସନର ।