କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା, ସ୍ୱାମୀ ଦୀପକର ଖୋଲୁଛି ପାପ ପେଡି

ଭୁବନେଶ୍ୱର,୧୮/୦୯: କନଷ୍ଟେବଳ ଶୁଭମିତ୍ରା ହତ୍ୟା ଉପରୁ ପରଦା ହଟିବା ପରେ ଏବେ ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଗୋଟିଏ ପରେ ଗୋଟିଏ ପାପ ପେଡି । କେବଳ ଦ୍ବିତୀୟ ସ୍ତ୍ରୀ ଶୁଭମିତ୍ରା ନୁହେଁ ପୂର୍ବରୁ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବି ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଆଉ ହତ୍ୟାକୁ ଦୁର୍ଘଟଣାର ରୂପ ଦେଇ କୋଟିଏ ଟଙ୍କାର ଇନସ୍ୟୁରାନ୍ସ ହାତେଇଥିବା ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ । ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ପ୍ରେମ ବିବାହ କରିଥିଲା । ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ହୋଇଥିଲା ବାହାଘର । ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ବା ଆରଆଇ ଭାବେ ଚାକିରି କରୁଥିଲେ ।  ୨୦୨୨ରେ ସଡକ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ । ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଏକ ନାଟକ ଥିଲା ।ଏପରି ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କର ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇଥିଲା । ଯେଉଁ ବାବଦରେ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା । ତେଣୁ ଏ ଘଟଣାର ବି ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ ।