ନୂଆଦିଲ୍ଲୀ,୧୮/୦୯: କେରଳରେ ମାତିଛି ବ୍ରେନ ଇଟିଂ ଆମୋଏବା । ଏହା ଏକ ପ୍ରକାର ପାରାସାଇଟ୍ । ଏହି ପାରାସାଇଟ୍ ମଣିଷ ମସ୍ତିଷ୍କକୁ ଖାଇ ଯାଉଛି । ଏବେ ସୁଦ୍ଧା ବ୍ରେନ ଇଟିଂ ଆମୋଏବା ୧୯ ଜଣଙ୍କ ଜୀବନ ନେଲାଣି । ଚଳିତବର୍ଷ ରାଜ୍ୟରେ ୬୧ଟି ମାମଲା ସାମ୍ନାକୁ ଆସିଛି । ଏହା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ପ୍ରଥମେ କେରଳ କୋଜିକୋଡ ଜିଲ୍ଲାରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହା ରାଜ୍ୟକୁ ବ୍ୟାପିଲାଣି । ଏହି ପାରାସାଇଟ କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି ।ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ମୁଣ୍ଡ ବିନ୍ଧା, ବାନ୍ତି ଭଳି ପ୍ରଥମେ ସାଧାରଣ ଲକ୍ଷଣ ଦେଖାଯାଇଥାଏ ।