ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

ଭୁବନେଶ୍ୱର,୧୫/୦୯: ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅଭିଯୋଗ କଲେ ତୁରନ୍ତ ସମାଧାନ ହେବ । ସୁଭଦ୍ରା ଅଭିଯୋଗ ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ସୁଭଦ୍ରା ଯୋଜନା ନେଇ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ବା ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ । ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡ଼ିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ ।

ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବାରୁ ବାଦ ପଡ଼ିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ ସୁଭଦ୍ରା ଯୋଜନାର ଏକ ବର୍ଷ ପୂରଣ ହେବ । ଏକ ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ । ପ୍ରତିଟି ଅଙ୍ଗନବାଡି କେନ୍ଦ୍ରରେ ବି ଏହି କାର୍ଯ୍ୟକ୍ରମ ଚାଲିବ ।