ନୂଆଦିଲ୍ଲୀ,୧୫/୦୯: ୱାକଫ ସଂଶୋଧନ ଆଇନକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। ରାୟ ଦେବା ସମୟରେ ଆଇନର କିଛି ପ୍ରାବଧାନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ। ବର୍ତ୍ତମାନ ୱାକଫ ବୋର୍ଡର ସଦସ୍ୟ ହେବା ପାଇଁ ଅତି କମରେ ୫ବର୍ଷ ପାଇଁ ଇସଲାମ ଧର୍ମ ପାଳନ କରିବାର ସର୍ତ୍ତ ରଖିଥିବା ପ୍ରାବଧାନ ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ପ୍ରାବଧାନ ଉପଯୁକ୍ତ ନିୟମ ପ୍ରଣୟନ ନହେବା ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ନାହିଁ। ଏହା ବ୍ୟତୀତ, ଧାରା ୩(୭୪) ସହିତ ଜଡିତ ରାଜସ୍ୱ ରେକର୍ଡର ପ୍ରାବଧାନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ବ୍ୟକ୍ତିଙ୍କ ଅଧିକାର ସ୍ଥିର କରିପାରିବେ ନାହିଁ। ଯେପର୍ଯ୍ୟନ୍ତ ନିଯୁକ୍ତ ଅଧିକାରୀଙ୍କ ତଦନ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଯେପର୍ଯ୍ୟନ୍ତ ୱାକଫ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ଦ୍ୱାରା ୱାକଫ ସମ୍ପତ୍ତିର ମାଲିକାନା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତ ୱାକଫକୁ ଏହାର ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ କୋର୍ଟ ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆଇନ ଉପରେ ରୋକ୍ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ସମ୍ପୂର୍ଣ୍ଣ ଆଇନ ଉପରେ ସ୍ଥଗିତାଦେଶ ଲଗାଇବାର କୌଣସି ଆବଶ୍ୟକତା ନାହିଁ। କଲେକ୍ଟର ୱାକଫ ଜମି ବିବାଦର ସମାଧାନ କରିପାରିବେ ନାହିଁ। ଏପରି ମାମଲା ଟ୍ରିବ୍ୟୁନାଲକୁ ଯିବା ଉଚିତ। ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟା ସୀମିତ କରାଯିବା ଜରୁରୀ। ରାଜ୍ୟ ୱାକଫ ବୋର୍ଡ ଏବଂ କେନ୍ଦ୍ରୀୟ ୱାକଫ ପରିଷଦରେ ଅଣ-ମୁସଲମାନଙ୍କ ସଂଖ୍ୟା ୩ଜଣରୁ ଅଧିକ ହୋଇପାରିବ ନାହିଁ।