ନୂଆଦିଲ୍ଲୀ,୧୪/୦୯: ଏସିଆ କପରେ ଆଜି ଭାରତ-ପାକିସ୍ତାନ ଟକ୍କର । ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା । ରାତି ୮ଟାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର ଥିବା ବେଳେ ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି । ଟିମ୍ ଇଣ୍ଡିଆର ବିଜୟ ପାଇଁ ଭାରତରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବାରାଣାସୀରେ ମହାଦେବଙ୍କ ପାଖରେ ପୂଜା କରିଛନ୍ତି ପ୍ରଶଂସକ । ବିଜୟ ପାଇଁ ହୋମ କରାଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଏକ ନିଆରା ପୋଷ୍ଟର । ଯେଉଁଥିରେ ଲେଖା ହୋଇଛି ଅପରେସନ ସିନ୍ଦୂର-୨ । ପୋଷ୍ଟରେ ଭାରତ- ପାକିସ୍ତାନ ଟକ୍କର ସହ ଅପରେସନ ସିନ୍ଦୂର-୨ ଲେଖି ଇଣ୍ଡିଆର ବିଜୟ ପାଇଁ ନାରା ବାଜି ଦିଆଯାଉଛି । ପହଲଗାମ୍ ହମଲା ଏବଂ ଅପରେସନ ସିନ୍ଦୂର ପରେ ଏହା ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ ହୋଇଥିବାରୁ ଏହାକୁ ଅପରେସନ ସିନ୍ଦୂର-୨ ବୋଲି ନାଁ ଦେଇଛନ୍ତି ଫ୍ୟାନ୍ । ଯେଉଁଥିରେ ବି ପାକିସ୍ତାନକୁ ହରାଇବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି । ତେବେ ଏପରି ଦୃଶ୍ୟ ବାରଣାସୀରୁ ଆସିଥିବା ବେଳେ ଏହା ବେଶ ଚର୍ଚ୍ଚାରେ ରହିଛି । ତେବେ ଦୁଇ ଦେଶ ଚଳିତ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ଏକତରଫା ମ୍ୟାଚରେ ୟୁଏଇକୁ ପରାସ୍ତ କରିଥିଲା । ସେପଟେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଥିଲା ପାକିସ୍ତାନ । ଏସିଆ କପରେ ଏଯାଏଁ ଦୁଇ ଦେଶ ପରସ୍ପରକୁ ୧୮ ଥର ସାମ୍ନା କରିଛନ୍ତି । ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି । ଦୁଇଟି ମ୍ୟାଚର ଫଳାଫଳ ବାହାରି ପାରିନି । ତେଣୁ ରେକର୍ଡ ଭାରତ ସପକ୍ଷରେ ରହିଛି ।