ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡା

ଭୁବନେଶ୍ୱର,୧୦/୦୯: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ତୃତୀୟ ପର୍ଯ୍ୟାୟ ରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ । ୧୫ ଦିନ ଭିତରେ ଫିଲଡ଼ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଏଥିସହ ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି ସମୀକ୍ଷା କରାଯାଇଛି। ସବୁ ବିଭାଗର ଅଧିକାରୀ ମାନଙ୍କୁ ଡାକି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ତି କଟିଯାଇଛି। ଏକାବେଳେ ସେମାନଙ୍କୁ ଦୁଇଟି କିସ୍ତିରେ ଟଙ୍କା ଦିଆଯିବ। ତେଣୁ ଏଭଳି ଅନେକ ଅଭିଯୋଗ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଏଥିରେ ବିଚଳିତ ହେବାର କିଛି ନାହିଁ। ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।