ଶାନ୍ତି ପାଇଁ ଅପିଲ୍ କରିଛନ୍ତି ନେପାଳ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୦/୦୯: ନେପାଳରେ ପଦ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ କେ.ପି. ଓଲି ଓ ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ବିରୋଧ ପ୍ରଦର୍ଶନ ହିଂସାରେ ପରିଣତ ହୋଇଛି । ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ପ୍ରତିବାଦ, ପୋଡ଼ାଜଳା ଓ ପଥରମାଡ଼ର ଦୃଶ୍ୟ ସାମ୍ନାକୁ ଆସିଛି । ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫୦ରୁ ଅଧିକ ଆହତ ହୋଇଛନ୍ତି । ଶାନ୍ତି ପାଇଁ ଅପିଲ୍ କରିଛନ୍ତି ନେପାଳ ସେନା ମୁଖ୍ୟ ଅଶୋକ ରାଜ୍ । ସୋସିଆଲ ମିଡିଆ ବ୍ୟାନକୁ ନେଇ ଦେଶରେ ହିଂସା ହୋଇଛି । ଗତକାଲି ଆନ୍ଦୋଳନ ଅଣାୟତ୍ତ ହେବା ଦେଖି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେ.ପି. ଓଲି। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଓଲି ଦେଶ ଛାଡ଼ି ଦୁବାଇ ପଳାଇ ଯିବା ନେଇ ଚର୍ଚ୍ଚା ହେଉଛି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ, କାଠମାଣ୍ଡୁ ମେୟର ବଲେନ୍ଦ୍ର ଶାହ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି । ନେପାଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ବିକ୍ଷୋଭକାରୀଙ୍କ ଏକ ଦଳ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ଖାନଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।