ନୂଆଦିଲ୍ଲୀ,୦୯/୦୯: ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳରେ ବଡ଼ ବିକ୍ଷୋଭ । ପ୍ରତିବାଦ ସମୟରେ ୨୦ ଜଣଙ୍କ ମୃତ୍ୟୁ, ୩୦୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହା ପରେ ବି କ୍ୟାବିନେଟ୍ ବୈଠକ ଡାକି ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ସରକାର । ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍ ସହ ୨୬ ଆପ୍ ବ୍ୟାନ୍ କରିଥିଲେ ସରକାର । ସ୍କୁଲ ଓ କଲେଜରେ ପଢ଼ୁଥିବା ଯୁବପିଢ଼ି ଅଚାନକ ରାସ୍ତାକୁ ଓହ୍ଲାଇଆସିଲେ । ସୋସିଆଲ ମିଡିଆ ବ୍ୟାନ୍ କରି ଯୁବପିଢ଼ିଙ୍କ ସ୍ବର ଚପାଇବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଏବେ ସୋସିଆଲ ମିଡିଆ ବ୍ୟାନ୍ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । କେବଳ ସୋସିଆଲ ମିଡିଆରେ ବ୍ୟାନ୍ ଲାଗିବା ଯୋଗୁ ନୁହେଁ ବରଂ ସରକାରଙ୍କ ବିଫଳତାକୁ ନେଇ ଯୁବପିଢ଼ିଙ୍କ ବିଦ୍ରୋହ ଯୋଗୁ ଓଲି ସରକାର ବ୍ୟାକଫୁଟ୍କୁ ଚାଲିଯାଇଥିବା କୁହାଯାଉଛି । ପୁଲିସ-ଜନତା ସଂଘର୍ଷରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି ।