ହୀରାକୁଦର ୪ଟି ଗେଟ୍ ବନ୍ଦ, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୦୬/୦୯: ହୀରାକୁଦ ଜଳଭଣ୍ଡାରରେ ଆଜି ସକା‌ଳେ ୪ଟି ଗେଟ୍ ବନ୍ଦ କରିଦିଆଯାଇଛି। ଉପରମୁଣ୍ଡରେ ଜଳପ୍ରବାହ କମିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି। ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଥିଲା। ସକାଳ ୬ଟାବେଳେ ହୀରାକୁଦ ଜଳସ୍ତର ୬୨୬.୫୨ ଫୁଟ ଥିଲାବେଳେ ସନ୍ଧ୍ୟା ୬ଟାବେଳେ ଏହା ୬୨୬.୫୮ ଫୁଟ ରହିଥିଲା।