ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୨୧/୦୮: ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ୩୦ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ  । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି । ଏହି ବିଶ୍ବବିଦ୍ୟାଳୟ ପାଇଁ ମୋଟ୍ ୨୯.୭୫ ଏକର ଜମି ଚିହ୍ନଟ କରାଯାଇଛି । ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବା ପାଇଁ କୁହାଯାଇଥିଲା, କିନ୍ତୁ ସହର ଭିତରେ ଏକ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ମିଳିପାରି ନଥିଲା ।ତେଣୁ ସହର ବାହାରେ କୌଣସିଠାରେ ଜମି ଖୋଜା ଯାଇଥିଲା ବେଳେ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ପାଇଁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ପାଖାପାଖି ୩୦ ଏକର ଜମି ଚିହ୍ନଟ ହୋଇଥିଲା । ଏହି କେନ୍ଦ୍ରୀୟ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟକୁ ସନ୍ଥ କବି ଭୀମଭୋଇଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିସ କରିଛନ୍ତି ।