ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା; ବଡ଼ ବନ୍ୟା ଆଶଙ୍କା, ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୭/୦୭: ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା । ଉପରମୁଣ୍ଡରେ ବର୍ଷା ପରେ ଗାଲଡିହି ଗେଟ୍ ଖୋଲାଯାଇଛି । ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ । ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆଜି ଆହୁରି ପାଣି ପଶିବ। ମୟୂରଭଞ୍ଜ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଛି ।ଏଥିପାଇଁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେହିପରି ବୈତରଣୀ ବେସିନ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି । ବଡ ବନ୍ୟା ଆଶଙ୍କାକୁ ନଜରରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ସରକାର ।