ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୬/୦୭: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ଜାରି ରହିବ ବର୍ଷା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୩ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି ବରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା କାରଣରୁ ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢିବାର ଆଶଙ୍କା କରି ସତର୍କ ରହିବାକୁ କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ୪୩ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷାରେ ବେହାଲ ସିଲଭର୍ ସିଟି କଟକ । ଆଜି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କଟକରେ ପ୍ରବଳ ବର୍ଷା ଆଶଙ୍କାକୁ ଦେଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସ୍ଥିତିକୁ ମୁକାବିଲା କରିବା ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜିଲ୍ଲାପାଳ କହିଛନ୍ତି ।