ଭୁବନେଶ୍ୱର,୧୯/୦୭: ରାଜ୍ୟରେ ବାଲେଶ୍ୱର ଏଫଏମ କଲେଜ ପରେ ଏବେ ବଳଙ୍ଗାରେ ସେହିପରି ସମାନ ଦୃଶ୍ୟ ସାମ୍ନାକୁ ଆସିଛି । ଏଫଏମ ଘଟଣାରେ ନିଜେ ପୀଡିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ବେଳେ ଆଜିର ଘଟଣା ତିନି ଦୁର୍ବୃତ୍ତ ଗୋଟେ ଝିଅକୁ କିରୋସିନି ଢାଳି ନିଆଁ ଲଗେଇଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତାଙ୍କର ୭୫ ପ୍ରତିଶତ ଶରୀର ପୋଡ଼ିଯାଇଛି । ଏହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ବିରୋଧୀ ମାନେ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ମହିଳା ସୁରକ୍ଷାକୁ ନେଇ ଘେରିବାରେ ଲାଗିଛନ୍ତି । ଏହାରିମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢେଇ ଦିଆଯାଇଛି । ରାଜଭବନରୁ ଏଜି ଛକ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଦିଦିଆଯାଇଛି । ଏହି ସୁରକ୍ଷାରେ ୬ ପ୍ଲାଟୁନ ଅଧିକ ଫୋର୍ସ ଲାଗିଛନ୍ତି । ରାସ୍ତାର ଦୁଇ ପଟରେ ତାରବାଡ ଓ ବ୍ୟାରିକେଡ଼ ପଡିଛି । ଘଟଣା ସ୍ଥଳରେ ସୁରକ୍ଷା ସମୀକ୍ଷା କରିଛନ୍ତି ବରିଷ୍ଠ ପୋଲିସ୍ ଅଧିକାରୀ । କିଛି ସମୟ ପୂର୍ବରୁ ଛାତ୍ର,ଯୁବ କଂଗ୍ରେସ ଉପମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ପ୍ରତିବାଦ କରିଥିଲେ ଓ ବ୍ୟାରିକେଡ଼ ଠେଲି ମହିଳା କଂଗ୍ରେସ କର୍ମୀ କରିଥିଲେ ଟମାଟୋ ମାଡ ।