ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ମିଳିବ ଅନୁକମ୍ପା ମୂଳକ ସହାୟତା ରାଶି

ଭୁବନେଶ୍ୱର,୧୭/୦୭:  ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ । ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ସେହିଭଳି ଉଭୟ ଆଖି, ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ୨ ଲକ୍ଷ ଟଙ୍କା ଏବଂ ଯଦି ଗୋଟିଏ ଆଖି କିମ୍ବା ଗୋଟିଏ ହାତ କିମ୍ବା ଗୋଡ ନଷ୍ଟ ହୁଏ ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।