ଏଫଏମ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଭୁବନେଶ୍ୱର,୧୬/୦୭: ଏଫଏମ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁବନେଶ୍ବରରେ ଘେରିଲେ, ବାଲେଶ୍ବରରେ ବି ଘେରିଲେ । ରାଜଧାନୀରେ ସରକାରଙ୍କୁ ଘେରିଲେ ବିରୋଧୀ । ଗର୍ଜିଲା ବିଜେଡି ଓ କଂଗ୍ରେସ, ଆଉ ବିକ୍ଷୋଭ କଲା ବାମପନ୍ଥୀ ଦଳ । ଗୋଟେ ପଟେ ବିଜେଡି ଦଳବଳ ଘେନି ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରି ମାଡି ଆସିଥିବା ବେଳେ ଲୋକସେବା ଭବନ ଘେରିବାକୁ ଯାଉଥିବା ରାସ୍ତାରେ ବିଜେଡି କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବାସ୍ ତାପରେ ଦେଖିବାକୁ ମିଳିଥିଲା ପ୍ରତିବାଦ ଏବଂ ବିରୋଧର ଭୟଙ୍କର ଦୃଶ୍ୟ । ବିଜେଡି କର୍ମୀ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ମୋହନ ସରକାରଙ୍କୁ ପ୍ରତିବାଦ କଲା ବେଳେ ପୋଲିସ ସହ ମୁହାଁମୁହିଁ । ପାଣି ମାଡ଼ କରି ପୋଲିସ ଶତାଧିକ ବିଜେଡି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସ୍ଥିତି ଭୟାବହ ହେବାରୁ ଲୁହବୁହା ଗ୍ୟାସ ସହ ରବର ବୁଲେଟ୍ ମାଡ କରିଥିଲା । ଯେଉଁଥିରେ ଆହତ ହୋଇଛନ୍ତି ବିଜେଡିର ବଡ ବଡ ନେତା । ବବି ଦାସ, ଡାନି ଘଡେଇ, ସୁଲତା ଦେଓ, ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ପରି ନେତା ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବବି ଦାସଙ୍କୁ ଆପୋଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଗୋଟେ ପଟେ ଲୋୟର ପିଏମଜିରେ ବିଜେଡି ବିଜେପି ସରକାରଙ୍କ ବିରୋଧରେ ନାରାବାଜି ଲଗାଉଥିବା ବେଳେ ଅନ୍ୟପଟେ ବିନା ପ୍ରସ୍ତୁତିରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ । ଦୁଇ ଦଳର ଆନ୍ଦୋଳନ ପାଇଁ ରାସ୍ତା ଜାମ୍ ହୋଇଥିବା ବେଳେ ବିଭିନ୍ନ ରାସ୍ତାକୁ ସିଲ୍ କରାଯାଇଛି । ରାଜଭବନ ଛକରୁ ଏଜି ଛକ ସିଲ, ଏଜି ଛକରୁ ବିଧାନସଭା ଯାଏ ସିଲ । ଲୋକସେବା ଭବନ ପଛ ପଟ ରାସ୍ତା ବି ସିଲ ହୋଇଥିବା ବେଳେ ସାଧାରଣ ଲୋକେ କୁଆଡେ ଯିବେ ବାଟ ପାଉନାହାନ୍ତି ।