ଭୁବନେଶ୍ୱର,୧୬/୦୭: ଏବେକାର ବ୍ୟସ୍ତବହୁଳ ଜୀବନରେ ନିଜ ପ୍ରିୟଜନ ଓ ସାଙ୍ଗ ମାନଙ୍କ ସହ ଫିଲ୍ମ ଦେଖିବାର ମଜା ଅଲଗା । ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ଉତ୍ସାହ ମଧ୍ୟ ରହିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ଏହାରି ସୁଯୋଗ ନେଇ କିଛି ସିନେମା ହଲ ମାଲିକ ଓ କିଛି ଟିକେଟ କଳାବଜାରୀ କରୁଥିବା ଲୋକେ ମନଇଚ୍ଛା ଦାମରେ ଟିକେଟ୍ ବିକ୍ରି କରିଥାନ୍ତି । ହେଲେ ଏବେ ଏହା ଉପରେ ଲଗାମ ଲାଗିବ । ଏନେଇ ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇପାରିବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ ।