ନୂଆଦିଲ୍ଲୀ,୧୩/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହାସହ ରାଜ୍ୟର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ବିଜୁ ଜନତା ଦଳ ୫ ମିନିଟ ସମୟ ମାଗିଛି।ରାଜ୍ୟରେ ଅରାଜକତା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଜେଡି ଅଭିଯୋଗ ଆଣିଛି। ଓଡ଼ିଶାରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ପୁରା ବିଗିଡି ଯାଇଛି ।
ବିଜେଡି କହିଛି, ବାଲେଶ୍ଵରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶନିବାର ଦିନ ଘଟିଥିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଏହି ଘଟଣା ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି। କାରଣ ଆମେ ବି ଜଣେ ଜଣେ ମା, ଆମର ବି ଝିଅ ଅଛନ୍ତି । ରାଷ୍ଟ୍ରପତି ମଧ୍ୟ ଜଣେ ମା ଭଳି, ସେ ମଧ୍ୟ ଏହି ଘଟଣାକୁ ହୃଦଙ୍ଗମ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ନିଜର ମୂଲ୍ୟବାନ ସମୟ ମଧ୍ୟରୁ ୫ ମିନିଟ ସମୟ ଦିଅନ୍ତୁ ରାଷ୍ଟ୍ରପତି ବୋଲି ଅନୁରୋଧ କରିଛି ବିଜେଡି ।