ଭୁବନେଶ୍ୱର,୧୨/୦୭: ୟୁଟ୍ୟୁବ କ୍ରିଏଟରଙ୍କ ପାଇଁ ବଡ଼ ଖବର । ଏଣିକି ଚଳିବନି କପି ପେଷ୍ଟ ଭିଡିଓ । ଯଦି ଆପଣ ଜଣେ ୟୁଟ୍ୟୁବର ତେବେ ଏହି ଖବରକୁ ନିହାତି ଦେଖନ୍ତୁ । ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏହାର ନିୟମାବଳୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ଆସନ୍ତା ଜୁଲାଇ ୧୫ ତାରିଖରୁ ଲାଗୁ ହେବ । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ କଣ୍ଟେଣ୍ଟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ମନିଟାଇଜେସନ୍ ପଲିସିକୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଛି, ଯାହା ଉଭୟ କଣ୍ଟେଣ୍ଟ କ୍ରିଏଟର ଓ ଦର୍ଶକଙ୍କୁ ପ୍ରଭାବିତ କରିବ ।
ନୂଆ ନିୟମ ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ କପି କରାଯାଇଥିବା ଏବଂ ବାରମ୍ବାର ପୋଷ୍ଟ ହେଉଥିବା ବିଷୟବସ୍ତୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଚ୍ୟାନେଲଗୁଡ଼ିକ ଅନ୍ୟ କ୍ରିଏଟରଙ୍କ ଭିଡିଓକୁ ବିନା ଅନୁମତିରେ ବା ବିନା କୌଣସି ମୌଳିକ ପରିବର୍ତ୍ତନରେ ଅପଲୋଡ୍ କରୁଛନ୍ତି, ସେହି ଭିଡିଓଗୁଡ଼ିକ ଆଉ ମନିଟାଇଜ୍ ହେବ ନାହିଁ ।
ଏହା ସହିତ, ୟୁଟ୍ୟୁବ୍ “ଥମ୍ବନେଲ୍” ଏବଂ “ଟାଇଟଲ୍”କୁ ନେଇ ମଧ୍ୟ ନିୟମକୁ କଡ଼ାକଡ଼ି କରିଛି । ଯଦି କୌଣସି ଭିଡିଓର ଥମ୍ବନେଲ୍ କିମ୍ବା ଟାଇଟଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବ, ତେବେ ତାହାକୁ ନିୟମ ଉଲ୍ଲଂଘନ ବୋଲି ଧରାଯିବ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେଉଁ ଭିଡିଓଗୁଡ଼ିକ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଏବଂ ଯାହା ଦେଖିବାକୁ ବାସ୍ତବ ଭଳି ଲାଗୁଛି, ସେହି ଭିଡିଓଗୁଡ଼ିକରେ “ଲେବଲ୍” ଲଗାଇବା ବାଧ୍ୟତାମୂଳକ କରାଯାଇଛି ।
ସେହିପରି ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ ରେ ମଧ୍ୟ କିଛିଟା କୋହଳ କରାଯାଇଛି । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି ।