ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୦୯/୦୭: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ଆବେଦନ ଶୁଣାଣୀ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ । ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଥିଲେ ଜାମିନ ଆବେଦନ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ସମସ୍ତେ ଆବେଦନ କରିଥିଲେ । ତେବେ ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଜଗନ୍ନାଥ । ପରେ ପରେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଥିଲେ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରୁ ଜଗାଙ୍କୁ ମିଳିଲା ଜାମିନ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚଲିକାରେ ଜାମିନ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ପ୍ରଧାନଙ୍କ ଓକିଲ । ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଥିଲା ପୁଲିସ । ଗତ ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ୍‌ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା ।