ଭୁବନେଶ୍ୱର,୦୮/୦୭: ଆଗାମୀ ୩ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରି ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୮ ତାରିଖ ପାଇଁ କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଡ଼ଘଡ଼ି ସହ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଭଳି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏପଟେ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଜୁଲାଇ ୯ ତାରିଖ ପାଇଁ ମଧ୍ୟ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଭଳି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।