ବଢୁଛି ହୀରାକୁଦ ଜଳସ୍ତର, ଏବେ ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର,୦୭/୦୭: ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୯.୮୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୯୪୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୬୯ ହଜାର ୫୨୮ କ୍ୟୁସେକ୍ ଜଳ । ସ୍ପିଲ୍‌ୱେ ପାଇଁ ୨ ଲକ୍ଷ ୩୦ ହଜାର ୫୪୪ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚେନାଲ ପାଇଁ ୩୫ ହଜାର ୧୧୮ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍‌ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ । ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।