ଭୁବନେଶ୍ୱର, ୦୪/୦୭: ଓଡିଶା ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ବିଶେଷ ଭାବେ, ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼ ଜିଲ୍ଲାକୁ ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡରେ କିଛି କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ତାସହ ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ନେଇ ଚେତାବନୀ ଜାରି ହୋଇଛି ।