ଭୁବନେଶ୍ୱର,୧/୦୭: ଆଜି ହେରାପଞ୍ଚମୀ। ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ରୋଷ କରିଛନ୍ତି । ଘୋଷଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଉପେକ୍ଷା କରି ନିଜର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ଲକ୍ଷ୍ମୀ ଠାକୁରାଣୀ ଭଗିନୀକଳ୍ପା ବିମଳା ଦେବୀଙ୍କ ପାଖରେ ବର୍ଣ୍ଣନା କରି ପରାମର୍ଶ ଚାହିଁଥିଲେ । ବିମଳାଦେବୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାନ୍ତ୍ୱନା ବାକ୍ୟରେ ବୁଝାଇ କହିଥିଲେ ଓ ମୋହଚୂର୍ଣ୍ଣ ନେଇ ସ୍ଵାମୀଙ୍କ ନିକଟକୁ ଯାତ୍ରା କରିବାକୁ କହିଥିଲେ। ଦେବୀଙ୍କ ପରାମର୍ଶ କ୍ରମେ ରଥଯାତ୍ରାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ଘରକୁ ଯିବେ ଓ ଜଗନ୍ନାଥଙ୍କ ରଥରୁ ଖଣ୍ଡେ କାଠ ଭାଙ୍ଗିବେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଯିବ । ଯାହା ଫଳରେ ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହେବ ।