ଆଜି ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ର ମୁହାଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୭/୦୬: ଆଜି ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି। ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର। ସିଂହଦ୍ବାରରେ ବିଶ୍ବନିୟନ୍ତାଙ୍କୁ ଅପେକ୍ଷାରତ ତିନି ରଥଙ୍କୁ ଦର୍ଶନ କରି ଏବେ କେତେ ଭାବବିହ୍ବଳ ଭକ୍ତ। ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ। ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ । ଅନ୍ୟପକ୍ଷରେ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।