ଆଜ୍ଞାମାଳ ଆସିବା ପରେ ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ

ଭୁବନେଶ୍ୱର,୨୬/୦୬: ଆସିଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ଘଣ୍ଟ, ମୃଦଙ୍ଗ, କାହାଳି ନାଦରେ କମ୍ପିଲା ବଡ଼ଦାଣ୍ଡ । ଆଜ୍ଞାମାଳ ବିଜେ ପରେ ତିନି ରଥକୁ ଟାଣି ଆଣିଲେ ସୁରକ୍ଷା ବାହିନୀ ଓ ପୁଲିସ । ପରମ୍ପରା ଅନୁସାରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ବଜ ରଥ ସିଂହଦ୍ବାର ଆଗରେ ଲାଗିଛି । ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ଶ୍ରୀଜିଉ।  ଭକ୍ତଙ୍କ ଭିଡ଼ରେ ଉଛୁଳିବ ବଡ଼ଦାଣ୍ଡ । ତେଣୁ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । ସେହିପରି ଠାକୁରଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳା ଆଳତି । ସାଢ଼େ ୬ଟାରେ ତଡ଼ପଲାଗି । ସକାଳ ୭ଟାରେ ଅବକାଶ । ୭ଟା ୩୦ ସୁଦ୍ଧା ବେଶ ଶେଷ। ୯ଟାରେ ରଥ ପ୍ରତିଷ୍ଠା । ସାଢ଼େ ୯ରେ ପହଣ୍ଡି ଆରମ୍ଭ, ସାଢ଼େ ୧୨ରେ ଶେଷ । ଦିନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ।