ନୂଆଦିଲ୍ଲୀ,୨୧/୦୬: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ଫୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ନଦୀକୂଳିଆ ବାଉଁଶଖଣା ଓ ମାଟିଖଣା ଗାଁ ଲୋକଙ୍କ ଭିତରେ ଛନକା ପଶିଛି । ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଅଂଚଳ ଜଳମଗ୍ନ ହୋଇଛି । ରାସ୍ତା ଉପରେ ପାଣି ଚାଲୁଥିବାବେଳେ ଅନେକ ଗାଁ ମଧ୍ୟ ପାଣି ଘେରରେ ରହିଛି । ଏ ପର୍ଯ୍ୟନ୍ତ ବନ୍ୟା ସଂପର୍କରେ କୌଣସି ଆଗୁଆ ଖବର ଦିଆଯାଉ ନାହିଁ । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀରେ ପ୍ରବାହିତ ହେଉଛି ପ୍ରଥମ ବନ୍ୟାଜଳ । ଏହା ପ୍ରଭାବରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ପାଣି ପଶିବା ଆରମ୍ଭ କରିଛି । ଅନ୍ୟପଟେ ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ ବୁଲି ଦେଖିଛନ୍ତି । JE, SDOମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଦୁର୍ବଳ ନଦୀ ବନ୍ଧରେ ବାଲି ବସ୍ତା ପ୍ରସ୍ତୁତ କରି ରଖାଯାଇଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ କାଲି ରାତି ୧୦ଟା ସୁଦ୍ଧା ଏହା ୧୧.୨୨ ମିଟର ଟପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବାଲେଶ୍ବର ଜିଲ୍ଲାରେ ଉପୁଜିଥିବା ବନ୍ୟା ସ୍ଥିତିକୁ ଦେଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।