ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କହିଲେ ମୁଁ ଶୀଘ୍ର ଫେରି ଆସିବି….

ଭୁବନେଶ୍ୱର,୨୦/୦୬: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି ନବୀନ । ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ହେବ । ୨୨ ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର କରାଯିବ । ନବୀନ ନିବାସରୁ ବାହାରି ବିମାନବନ୍ଦର ଯିବାବେଳେ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ସମସ୍ତେ ନବୀନଙ୍କ ଆରୋଗ୍ୟ କାମନା କରିବା ସହ ଅସ୍ତ୍ରୋପଚାର ସଫଳତାର ସହ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ନବୀନ ନିବାସ ସମ୍ମୁଖରେ ପୂଜାର୍ଚ୍ଚନା କରିଛନ୍ତି ବିଜେଡି ନେତ୍ରୀ । ସୂଚନାଯୋଗ୍ୟ, ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା କରାଇବାକୁ ମୁମ୍ବାଇ ଯିବେ ବୋଲି ବୁଧବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଲେଖିଥିଲେ, “ଜୟ ଜଗନ୍ନାଥ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥରାଇଟିସ୍‌ ସମ୍ବନ୍ଧୀୟ ଚିକିତ୍ସା କରାଇବାକୁ ମୁଁ ମୁମ୍ବାଇ ଯାଉଛି। ମୋର ବ୍ୟକ୍ତିଗତ ଡାକ୍ତର ଡା. ରମାକାନ୍ତ ପଣ୍ଡା ଏହାର ତତ୍ୱାବଧାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ମୋର ପ୍ରିୟ ଓଡ଼ିଶାବାସୀଙ୍କ ଶୁଭେଚ୍ଛାକୁ ସାଥିରେ ନେଇ ମୁଁ ମୁମ୍ବାଇ ଯାଉଛି। ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆପଣମାନଙ୍କ ସେବା ପାଇଁ ଓଡ଼ିଶା ଫେରି ଆସିବି ।” ତେବେ ନବୀନଙ୍କ ଅନୁପସ୍ଥିତିରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଦଳର ସମସ୍ତ ଗୁରୁଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରାଯାଇଛି ।