ନୂଆଦିଲ୍ଲୀ,୦୬/୦୬: ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ଣ୍ଣାଟକ ସରକାର । ପୁଲିସ କମିସନରଙ୍କଠାରୁ ପୁଲିସ ଇନଚାର୍ଜ ଯାଏଁ ବଡ଼ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପୋଲିସ କମିସନରଙ୍କ ସମେତ ୮ଅଫିସର ସସପେଣ୍ଡ ହୋଇଛନ୍ତି । ତତ୍କାଳ ପ୍ରଭାବରେ ଏହା ଲାଗୁ ହୋଇଛି । ଦଳଚକଟାର ୨୪ ଘଣ୍ଟା ପରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହାଛଡ଼ା ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସଦସ୍ୟ ବିଶିଷ୍ଟ କମିସନ ବି ଗଠନ ହୋଇଛି । ଏହାଛଡା ଇଭେଣ୍ଟ ମ୍ୟାନେଜମେଂଟର ପ୍ରତିନିଧିଙ୍କୁ ବି ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, କାହାକୁ ବି ଛଡ଼ାଯିବ ନାହିଁ । ଗତକାଲି ଚିନ୍ନା ସ୍ବାମୀ ଷ୍ଟାଡିୟମରେ ଆରସିବିର ବିଜୟ ଉତ୍ସବ ପାଳନ ବେଳେ ଦଳଚକଟାରେ ୧୧ ଜଣ ପ୍ରାଣ ହରାଇଛନ୍ତି ।