ନୂଆଦିଲ୍ଲୀ,୨୪/୦୫: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଦଶମ ଗଭର୍ନିଂ କାଉନସିଲ୍ ବୈଠକ ବସିବ । ଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ରେ ଏହି ବୈଠକ ବସିବ । ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଯୋଗଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ବୈଠକରେ ଯୋଗଦେବେ । ବୈଠକରେ ବିକଶିତ ଭାରତ-୨୦୪୭ର ରୂପରେଖ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ବର୍ଷ ଜୁଲାଇ ୨୭ର ନୀତି ଆୟୋଗର ନବମ ଗଭର୍ନିଂ କାଉନସିଲ୍ ବୈଠକ ବସିଥିଲା । ଏଥିରେ ଆଲୋଚନା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଏଥି ସହିତ ବୈଠକରେ ଜାତୀୟ ବିକାଶ ରଣନୀତି ତଥା ରାଜ୍ୟର ପ୍ରଗତି ଉପରେ ମଧ୍ୟ ଆଲୋଚନା ହେବ । ସେହିପରି ଏହି ଗସ୍ତ ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏନ୍ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେବା ସମ୍ଭାବନା ରହିଛି ।