ନୂଆଦିଲ୍ଲୀ,୧୦/୦୫: ପାକିସ୍ତାନକୁ ଆଇଏମଏଫ୍ ବଢ଼ାଇଛି ସହାୟତାର ହାତ । ଆଇଏମଏଫ୍ ପାକିସ୍ତାନ ପାଇଁ ୧.୩ ବିଲିୟନ ଡଲାର ବା ୮ହଜାର ୫ଶହ କୋଟି ଟଙ୍କାର ଅନୁମୋଦନ ପ୍ରଦାନ କରିଛି । ପାକିସ୍ତାନକୁ ଅନୁଦାନ ନଦେବାକୁ ଆପତ୍ତି ପ୍ରକାଶ କରିଥିଲା ଭାରତ । ଏପରିକି ଭାରତ ଭୋଟିଂରୁ ମଧ୍ୟ ଦୂରେଇ ରହିଥିଲା । ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି ଆଇଏମଏଫ୍ । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହିଆସୁଛି । ସେହିପରି ଆଇଏମ୍ଏଫ୍ ନିକଟରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଭାରତ ଚିନ୍ତା ପ୍ରକଟ କରି କହିଛି ଯେ ଯଦି ଏହାକୁ ପାଣ୍ଠି ଯୋଗାଇ ଦିଆଯାଏ, ତେବେ ଏହାର ଅପବ୍ୟବହାର ହେବ । ୧୯୮୯ ମସିହାରୁ ଅର୍ଥାତ ଗତ ୩୬ ବର୍ଷ ମଧ୍ୟରେ ପାକିସ୍ତାନକୁ ୨୮ ବର୍ଷ ଧରି ଲଗାତାର ଆଇଏମ୍ଏଫ୍ ଋଣ ପ୍ରଦାନ କରିଆସୁଛି । ୨୦୧୯ ପରଠାରୁ ଗତ ୫ ବର୍ଷରେ ଆଇଏମ୍ଏଫ୍ ୪ଥର ପାକିସ୍ତାନକୁ ଋଣ ଦେଇଛି ।