ନୂଆଦିଲ୍ଲୀ,୦୯/୦୫: ଭାରତ-ପାକିସ୍ତାନ ଯୁଦ୍ଧ ଚରମ ସୀମାରେ ପହଂଚିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟରେ IPL ୨୦୨୫ ସ୍ଥଗିତ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏନେଇ ଘୋଷଣା କରିଛି । ମିଳିଥିବା ସୂଚନା ମୁତାବକ, ଆଜିର ବୈଠକ ପରେ ବୋର୍ଡ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍ ମେ’୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା। ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୬ ରାତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା । ଏହାପରେ, ପାକିସ୍ତାନ ମେ ୭ ରାତିରେ ୧୫ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ।