ଭୁବନେଶ୍ୱର, ୦୬/୦୫: ଏତେ ବିବାଦ ପରେ ବି ଜିଦରେ ଅଟଳ ପଶ୍ଚିମବଙ୍ଗ ସରକାର। ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା । ୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । ତେବେ ଦିଦି ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି ।