ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ରାମକୃଷ୍ଣ ଦାସମହାପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଉତ୍ତର ରଖିବାକୁ ନୋଟିସ୍

ଭୁବନେଶ୍ୱର,୪/୦୫: ଘନେଇବାରେ ଲାଗିଛି ଦୀଘା ମନ୍ଦିର ଓ ଦିଅଁ ବିବାଦ। ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଏ ସଂପର୍କିତ ଦ୍ବନ୍ଦ୍ବାତ୍ମକ ତଥ୍ୟ ଉପରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।ନବକଳେବର ଦାରୁରେ ତିଆରି ହୋଇଛନ୍ତି ଦୀଘା ମନ୍ଦିରର ଚତୁର୍ଦ୍ଧା ମୂରତି।   ସଭିଁଙ୍କ ମୁହଁରେ ଗୋଟିଏ କଥା, ଏମିତି କେମିତି ହେଲା ? ଯାହାଙ୍କ ହାତରେ ଦାରୁଘର ଚାବି କାଠି, ସେ ପୁଣି ମହାପ୍ରଭୁଙ୍କ ପ୍ରତି ବିଶ୍ବାସଘାତକତା କେମିତି କଲେ? ସେଠି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ରହ୍ମ ସ୍ଥାପନ କରିଛନ୍ତି ବୋଲି ଯାହା କହିଛନ୍ତି, ଏହା କରିବାକୁ ତାଙ୍କ ହାତ ଗଲା କିପରି ? ଯେହେତୁ ବ୍ରହ୍ମ ପରିବର୍ତ୍ତନ ଏକ ଅତି ଗୁପ୍ତ ନୀତି, ତେଣୁ ଦୀଘାରେ ଏହାକୁ ପ୍ରଘଟ କରିବାକୁ କେମିତି ସାହାସ କଲେ ରାମକୃଷ୍ଣ? ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତୁରନ୍ତ ତାଙ୍କୁ ଜଗନ୍ନାଥଙ୍କ ସେବାରୁ ସବୁଦିନ ପାଇଁ ବହିଷ୍କାର କରାଯିବା ସହ ଦାରୁ ଗୃହରୁ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବି ଉଠିଲାଣି ଦାବି।

Leave a Reply

Your email address will not be published. Required fields are marked *