ଭୁବନେଶ୍ୱର,୦୮/୧୦: ଚାରି ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ହେଲେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଏମ୍ଏମ୍ଡିଆର୍ (ସଂଶୋଧନ) ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ୟ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ହସ୍ପିଟାଲ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ୟ୍ୟ, ଔଷଧି ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ୟାନ୍ୟ ଜରୁରି ସେବା ଜାରି ରହିବ। ବନ୍ଦକୁ ସଫଳ କରିବା ପାଇଁ ‘ଇଣ୍ଡି ବ୍ଲକ୍ର ଆହ୍ବାନରେ ଭୁବନେଶ୍ବରରେ ଦିନବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଲି, ପିକେଟିଂ ଓ ବିକ୍ଷୋଭ ଜରିଆରେ ବନ୍ଦକୁ ସଫଳ କରିବାକୁ କଂଗ୍ରେସ ଓ ବାମ ଦଳ ସହ ଇଣ୍ଡିଆ ବ୍ଲକ୍ର ନେତାଙ୍କ ରଣନୀତି।
ଚାରିଟି ପ୍ରମୁଖ ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦିଆଯାଇଛି । ଏମ୍ଏମ୍ଡିଆର୍ ଆଇନ ୨୦୨୬ ପ୍ରତ୍ୟାହାର ଦାବି ସହ ଏସ୍ଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ମେଣ୍ଟ। ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ୟ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ଦାବି ମଧ୍ୟ ରହିଛି।