ନୂଆଦିଲ୍ଲୀ,୦୨/୦୭: ନୂଆ ଫିଚର ଆସିବା ପୂର୍ବରୁ ହ୍ବାଟ୍ସଆପ୍କୁ ବଡ଼ ଝଟ୍କା । ନୂଆ ଫିଚର ଲଞ୍ଚ୍ ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ । ଏହି ସେବା ଅଧୀନରେ ସାଇବର ଅପରାଧୀମାନେ ପରିଚୟ ଲୁଚାଇ ଲୋକମାନଙ୍କୁ ଠକିବାର ଆଶଙ୍କା ଥିବାରୁ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସୁବିଧାଟି କ’ଣ ତାହାକୁ ତିନି ଦିନ ଭିତରେ ବୁଝାଇବା ଓ ଆଲୋଚନା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ ନ କରିବାକୁ କମ୍ପାନିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଫିଚର ଦ୍ବାରା କୌଣସି ବ୍ୟକ୍ତି ଯେଭଳି ଠକାମିର ଶିକାର ନହୁଅନ୍ତି ତାହା ନିଶ୍ଚିତ କରିବାକୁ ସରକାର ଚାହୁଛନ୍ତି । ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍ ବ୍ୟବହାର କରିବା ପାଇଁ ମୋବାଇଲ୍ ନମ୍ବର ଦରକାର ହେଉଛି । ମୋବାଇଲ୍ ନମ୍ବରରେ ଆକାଉଣ୍ଟ ସୃଷ୍ଟି ହେଉଛି କିନ୍ତୁ ବହୁ ଲୋକ ନିଜ ମୋବାଇଲ୍ ନମ୍ବର ସାର୍ବଜନୀନ କରିବାକୁ ଚାହୁନଥିବାରୁ ହ୍ବାଟ୍ସଆପ୍ ପକ୍ଷରୁ ୟୁସର ନେମ୍ ସୁବିଧା ଅଣାଯାଇଛି । ତେବେ ସାଇବର ଅପରାଧୀମାନେ ଏହାର ଫାଇଦା ନେଇ ନିଜର ପରିଚୟ ଲୁଚାଇ ଲୋକଙ୍କୁ ସହଜରେ ଠକିପାରିବେ ବୋଲି ଆଶଙ୍କା କରାଯାଉଛି । ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଦେଶରେ ଏ ସୁବିଧା ଲାଗୁ କରିବା ପାଇଁ ଯୋଜନା ରଖିଛି କଂପାନି ।