ଭୁବନେଶ୍ୱର, ୨୩/୦୮: ଆସୁଛି ଆଉ ଏକ ଲଘୁଚାପ । ଆଗାମୀ ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ୨୬ରୁ ୨୭ ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେବ । ଅଗଷ୍ଟ ୨୫ରୁ ୨୮ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଏବଂ ଦେବଗଡ଼ ଭଳି ଜିଲ୍ଲାଗୁଡ଼ିକରେ ୭୦ରୁ ୧୫୦ ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ । ଅଗଷ୍ଟ ୨୨ରୁ ୨୪ ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବଡ଼ ବର୍ଷାର ବିପଦ ରହିଛି । ୨୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।