ଭୁବନେଶ୍ୱର,୧୪/୦୭: ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଅନିୟମିତତା ଅଭିଯୋଗର ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ତ୍ୱରାନ୍ୱିତ କରିଛି । ଏହି କ୍ରମରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି । ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା କଥିତ ଅନିୟମିତତାକୁ ନେଇ ତାଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଉଛି । ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚର ଡିଏସପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ଖୋଳତାଡ଼ କରୁଛି । ତଦନ୍ତକାରୀ ଦଳ ପାଠ୍ୟପୁସ୍ତକ ପ୍ରସ୍ତୁତିରୁ ଆରମ୍ଭ କରି ମୁଦ୍ରଣ, ଅନୁମୋଦନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଯାଞ୍ଚ କରୁଛି । ଏଥିସହ ଆବଶ୍ୟକ ଦସ୍ତାବିଜ, ରେକର୍ଡ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଉଛି । ପୂର୍ବରୁ ଏସସିଇଆରଟି ନିର୍ଦ୍ଦେଶକଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ପଚରାଉଚରା କରାଯାଉଥିବାରୁ ଏହି ମାମଲାର ତଦନ୍ତ ନୂଆ ମୋଡ଼ ନେଇଛି । ତଦନ୍ତରେ ଯାହା ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସିବ, ସେହି ଆଧାରରେ କ୍ରାଇମବ୍ରାଞ୍ଚ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିବ ।