ନୂଆଦିଲ୍ଲୀ,୦୬/୧୦: ଶରତ ଋତୁରେ ବୈଶାଖ ତାତି। ଅକ୍ଟୋବରରେ ଖରା ଟାଇଁ ଟାଇଁ। ଭାଙ୍ଗିଲା ବର୍ଷ ବର୍ଷର ରେକର୍ଡ। ମାର୍ଚ୍ଚ-ଏପ୍ରିଲ ଭଳି ଅସହ୍ୟ ଖରା ସାଙ୍ଗକୁ ଅଣନିଶ୍ୱାସୀ କରିଦେଲା ଭଳି ଗୁଳୁଗୁଳିରେ ସାରା ଓଡ଼ିଶା ସନ୍ତୁଳି ହେଉଛି । ଶରତରେ ଏଭଳି ପାଗ ପଛର ପ୍ରକୃତ କାରଣ କ’ଣ ଏବଂ ଆଗକୁ ଆସୁଥିବା ନୂଆ ନିୟାମକ କି ବିପଦ ଆଣୁଛି ।ସାଧାରଣତଃ ମୌସୁମୀ ଫେରିବା ସମୟରେ ଆକାଶ ନିର୍ମଳ ହୋଇ ତାପମାତ୍ରା ହ୍ରାସ ପାଇବା କଥା । ମାତ୍ର ଏବେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୪.୩ ଡିଗ୍ରୀ ଅଧିକ ତାତି ଅନୁଭୂତ ହେଉଛି । ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ବାୟୁମଣ୍ଡଳରେ ବାଦଲ ନଥିବାରୁ ପ୍ରଖର ସୂର୍ଯ୍ୟକିରଣ ସିଧାସଳଖ ମାଟି ଉପରେ ପଡ଼ୁଛି ।
ଉପକୂଳ ଓଡ଼ିଶାରେ ଏହି ସ୍ଥିତି ସବୁଠୁ ଅଧିକ ଭୟଙ୍କର ରୂପ ନେଇଛି । ଶ୍ରୀକ୍ଷେତ୍ର ପୁରୀରେ ଅକ୍ଟୋବର ୫ ତାରିଖରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଛୁଇଁ ଇତିହାସ ରଚିଛି । କେବଳ ପୁରୀ ନୁହେଁ, ପାରାଦ୍ୱୀପରେ ମଧ୍ୟ ସମାନ ଭାବେ ପ୍ରବଳ ଗରମ ସହ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସମୁଦ୍ର କୂଳିଆ ସହରରେ ଏଭଳି ପ୍ରଚଣ୍ଡ ଝାଞ୍ଜି ପବନ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।