ଭୁବନେଶ୍ୱର,୨୦/୦୮: ଅଶାନ୍ତ ସୁବର୍ଣ୍ଣରେଖା, ବଢ଼ୁଛି ପାଣିର ସ୍ତର । ଦୁଇ ଦିନ ହେଲା ବିପଦ ସଂକେତଠାରୁ ବହୁ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀଜଳ । ଫଳରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ହୋଇପଡ଼ିଛି । ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ, ସକାଳ ୮ଟା ସୁଦ୍ଧା ଜଳସ୍ତର ୧୧.୬୫ ମିଟରରେ ପହଞ୍ଚିଛି । ବିପଦ ସଂକେତଠାରୁ ପ୍ରାୟ ୧.୩ ମିଟର ଉପରେ ପାଣି ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି । ଭୋଗରାଇ ବ୍ଲକର ୨୦ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିବା ବେଳେ, ୧୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗାଁ ଭିତରେ ପ୍ରଖର ସ୍ରୋତରେ ବନ୍ୟା ପାଣି ପ୍ରବାହିତ ହେଉଛି । ରାସ୍ତାଘାଟ, ଚାଷଜମି ଓ ତଳିଆ ଅଞ୍ଚଳ ସବୁଠି ଏବେ ଗୋଳିଆ ପାଣି ହିଁ ପାଣି । ନଦୀକୂଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବର୍ତ୍ତୀ ଅଞ୍ଚଳରେ ଜଳସ୍ତର ବଢ଼ୁଥିବା ବେଳେ, ତଳିଆ ଅଞ୍ଚଳର ଗବ ଗାଁ, କୁସୁଡ଼ା, ଖରିଦ ପିପଳ, ଚିରକୁଳା ଓ ନାଛିଣ୍ଡା ଭଳି ଅଞ୍ଚଳରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ପାଣି ବଢ଼ିବା ସହ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଚାଲିଛି । ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୈନନ୍ଦିନ ଜୀବନ ଠପ୍ ହୋଇପଡ଼ିଛି ।