ସଅଳ ଓ ଶୃଙ୍ଖଳିତ ଭାବେ ଅଗ୍ରସର ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି

ଭୁବନେଶ୍ୱର,୧୬/୦୭: ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର। ଚଳିତ ବର୍ଷ ମହାପ୍ରଭୁଙ୍କ ନୀତିକାନ୍ତି ଅତି ସଅଳ ଓ ଶୃଙ୍ଖଳିତ ଭାବେ ଅଗ୍ରସର ହେଉଛି। ପ୍ରଶାସନ ଓ ସେବାୟତଙ୍କ ସମନ୍ୱୟ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ବିଧି ସମ୍ପନ୍ନ କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ୯ଟାରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ଭକ୍ତଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ୯ଟା ୩୦ ମିନିଟରେ ମହାପ୍ରଭୁଙ୍କ ‘ଧାଡ଼ି ପହଣ୍ଡି’ ଆରମ୍ଭ ହେବ। ରଥାରୂଢ଼ ହେବେ ମହାପ୍ରଭୁ। ଦିନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରେ ପ୍ରମୁଖ ନୀତି ଭାବେ ଦିନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ‘ଛେରା ପହଁରା’ ସେବା ଅନୁଷ୍ଠିତ ହେବ । ଏହାପରେ ୩ଟାରୁ ୪ଟା ମଧ୍ୟରେ ରଥରେ ଘୋଡ଼ା ଲାଗି କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ହେବ । ଶେଷରେ, ଅପରାହ୍ଣ ୪ଟାରେ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ। ‘ଜୟ ଜଗନ୍ନାଥ’ ଓ ମଣିମା ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଥିବା ବେଳେ କାଳିଆ ସାଆନ୍ତଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ।

Leave a Reply

Your email address will not be published. Required fields are marked *